Unknown

ସୁବର୍ଣ୍ଣରେଖା

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ପ୍ରଥମଛାନ୍ଦ

 

 

ରାଗ - କେଦାର ମୁନିବରବାଣୀ

 

ଜୟ ଜୟ ରାମଚନ୍ଦ୍ର;

 

ଅସୁର – କରି – ପାରିନ୍ଦ୍ର;

 

ସୀତାହୃଦୟ ଚନ୍ଦନ;

 

ଜଗଦ୍‌ବନ୍ଦନ, ଯେ

। ୧ ।

ନବୀନ ନୀରବ – ଶ୍ୟାମ;

 

କାମଜିତ ଅଭିରାମ,

 

ଭକତମୁକତିଧାମ;

 

ଅନଉପମ, ଯେ

। ୨ ।

ଉପଇନ୍ଦ୍ର ବୀରବର;

 

ମାଗଇ ଯୋଡ଼ିଣ କର,

 

କହିବ ରସଚରିତ

 

କରିଣ ଗୀତ, ଯେ

। ୩ ।

ପୂର୍ବେ, କୋଶଳନୃପତି

 

କୁମାର ରସିକ ଅତି,

 

ଦିନେ ମଧୁବନେ ରଙ୍ଗେ

 

ମିତ୍ରଙ୍କ ସଙ୍ଗେ, ଯେ

। ୪ ।

ମଦନଶାସ୍ତ୍ର ପକାଇ;

 

ଶ୍ଲୋକକୁ ଅର୍ଥ କରଇ;

 

ପ୍ରଶଂସା ସ୍ତିରୀଜନରେ;

 

ନିଧୁବନରେ, ଯେ

। ୫ ।

ଏ ସମୟେ ଚାଟୁ ନଟ;

 

ପ୍ରବେଶ ହୋଇ ନିକଟ;

 

କଉତୁକେ କରେ ନାଟ;

 

ହାସ ପ୍ରକଟ ଯେ

। ୬ ।

ରୂପାଜୀବାଜଣେ ତହିଁ;

 

ଆଗେ ଥିଲା ଉଭା ହୋଇ;

 

ବୀରବରଙ୍କୁ ସେ ଚାହିଁ;

 

ଏମନ୍ତ କହି, ଯେ

। ୭ ।

ଅପୂର୍ବ ସୁନ୍ଦରୀଭାବେ,

 

ଭଲା ବଶ ତୁମ୍ଭେ ଏବେ,

 

କଉଶିକ ଯାର ଆକ୍ଷି;

 

କମ୍ପିବେ ଦେଖି, ଯେ

। ୮ ।

ଚିକୁର ଚାରୁ ଚାମର;

 

ରଜନୀକାନ୍ତି ଗଉର;

 

ଧର – ତୁଙ୍ଗଗର୍ବହର;

 

ଯା କୁଚ ଭାର, ଯେ

। ୯ ।

ଏମନ୍ତ କାହିଁଛି ନରେ,

 

ଥିବ ଅବା ହରିପୁରେ;

 

ବନଜ ବଦନ ଚାହିଁ,

 

ପଶିବେ କାହିଁ, ଯେ

। ୧୦ ।

ଏତେ ବୋଲି ହୁଳହୁଳି

 

ଦେଇ ମାରି କରତାଳି,

 

ବସିଲା କୁମରପାଖେ;

 

ହରଷମୁଖେ, ଯେ

। ୧୧ ।

ତାହାର ଉକ୍ତିରୁ ଭଲ;

 

ଘେନିଲେ ପଣ୍ଡିତକୁଳ;

 

ଆଉମାନେ କଲେ ହାସ;

 

ଘେନି ରହସ, ଯେ

। ୧୨ ।

ବୀର ଅନୁଗ୍ରହ ଚାହିଁ;

 

କେ ତହିଁ ଭାବରେ କହି;

 

ଶୁଣ ଶୁଣ ବିଦୂଷକ;

 

ତୁମ୍ଭେ ବିବେକ, ଯେ

। ୧୩ ।

ନୃପତିସୂତ ସଦୃଶେ,

 

ତୁମ୍ଭ ମନକୁ କେ ଆସେ,

 

ଅଛ କି ମହୀରେ ଯୋଖି; ?

 

ଚନ୍ଦ୍ରମାମୁଖୀ, ଯେ

। ୧୪ ।

ସେ କହେ ବହୁତଦୂର

 

ନୁହଇ ଆମ୍ଭ ନଗର;

 

ଅଛି, ନୁହେ କୁଳେ ସରି;

 

ମନ୍ତ୍ରିକୁମାରୀ, ଯେ

। ୧୫ ।

ଯେଉଁମାନେ ଶିଶୁକାଳେ;

 

ଦେଖିଥିଲେ ତାକୁ ଡୋଳେ

 

ସେମାନେ କହିଲେ ସତ;

 

ଅତିଶୋଭିତ, ଯେ

। ୧୬ ।

ସ୍ୱର୍ଗେ ରମ୍ଭା ନାହିଁ ଦେଖା;

 

ମର୍ତ୍ତ୍ୟରେ ସୁବର୍ଣ୍ଣରେଖା;

 

କେ ଅବା ଥିବ ପାତାଳେ;

 

କି ମହୋଜ୍ଜ୍ୱଳେ, ଯେ

। ୧୭ ।

ଶ୍ରବଣେ ସେ ଶୋଭା ଲୋଭା;

 

କୁମର ଭାଙ୍ଗିଲା ସଭା,

 

ପୁରୋହିତସୂତ ରାଇ,

 

ଆଶ୍ୱାସ କହି, ଯେ

। ୧୮ ।

ମୂଲ୍ୟ ଶଚିବକୁ କହି,

 

କନ୍ୟା କର ଆମ୍ଭ ପାଇଁ;

 

ଶୁଣି ସେ ସତ୍ୱରେ ଯାଇଁ;

 

ତାଙ୍କୁ ବୁଝାଇ, ଯେ

। ୧୯ ।

ଉତ୍ତମ ଲଗ୍ନ ବିବିତେ,

 

ବିବାହ ଗାନ୍ଧର୍ବମତେ;

 

ସେଦିନୁ ପୁରୁଁ ବାହାର;

 

ନୋହେ କୁମର, ଯେ

। ୨୦ ।

ତହିଁ ଗଲା କେତେ ମାସ,

 

କୁମର କଲା ପ୍ରବାସ;

 

ତାତ – ବାଣୀ ଘେନି ଶିରେ;

 

ବିଧିବଶରେ, ଯେ

। ୨ ୧।

ସେ ରାମାରେ ଦତ୍ତମନା;

 

ବଢ଼େ ବିରହବେଦନା;

 

କହେ ଭାବି ବୀରବର;

 

କାମେ ଅଧୀର ଯେ

। ୨୨ ।

 

ଦ୍ୱିତୀୟଛାନ୍ଦ

 

 

ରାଗ ବରାଡ଼ୀ

 

ଆଷାଢ଼ଶୁକ୍ଲ ବାଣୀ

 

ଏମନ୍ତେ ତହିଁ ଗଲା କେତେ ମାସ

 

ଆସି ଆଷାଢ଼ ହୋଇଲା ପ୍ରବେଶ

 

ଘନଗର୍ଜ୍ଜନକୁ ଭେକଗର୍ଜ୍ଜନ

 

ମହାଭୟ କଲେ ବିରହିଜନ

 

ମାଳତୀ ବିକାଶ

 

ଜାତ କରେ ଅଳିପାଳିହରଷ

। ୧ ।

ମୟୁରନାଟକୁ ବିଦ୍ୟୁଝଟକ

 

କାଳକଣ୍ଠରବ କାମିକଣ୍ଟକ

 

କଦମ୍ବବାତ – ଅନଳ ଆହୁତି

 

ହୋଇଲେ ତହିଁ ଏକାକୀ ଯୁବତୀ

 

ଏ ଋତୁକୁ ଚାହିଁ

 

ନବୠତୁମତୀ ରସିକ ଧ୍ୟାଇ

। ୨ ।

କେମନ୍ତେ ବଞ୍ଚିବ ଜୀବନ

 

ସେ ଦେଶେ ଉଦେ ହେଲେ ନବଘନ

 

ଗର୍ଜ୍ଜନ ଶୁଣି ଚମକିବ ଛାତି

 

କାଳ ହେବ ତାକୁ ଅନ୍ଧାରରାତି

 

ସେ ନବୀନବାଳୀ

 

ନୁହଇ କାମ – ପରାଭବ ଭଳି

। ୩ ।

ସ୍ୱଭାବେ ତାକୁ ବୟସ ଅଳପ

 

ଅନୁଭବ ନାହିଁ ଦୁଃଖକଳାପ

 

କେତେଦିନକୁ କେତେ ସ୍ନେହ କରି

 

ଛାଡ଼ିଅଇଲି ମୁଁ ଜୀବନେଶ୍ୱରୀ

 

ସ୍ୱପନ ପରାୟେ

 

ସେମାନ ମନେ ଘେନୁ ଥିବ ପ୍ରିୟେ

। ୪ ।

ଲାବଣ୍ୟଜଳରେ କମଳକଢ଼ୀ

 

ପରାୟେ ଆସୁଥିଲା ସ୍ତନ ବଢ଼ି

 

ରହୁଥିଲା ମୋର କରଭିତର

 

କେଡ଼େ ହେବନି ଏବେ ପୟୋଧର

 

କି କରମ କଲି

 

ଏକାଳେ ତାକୁ କେଡ଼େ ଦଣ୍ଡ ଦେଲି

। ୫ ।

ବୋଲତ ଭାଙ୍ଗି ନ ପାରଇ ମୋର

 

ଦୀପ ଜଳୁଥାଇ କେଳିମନ୍ଦିର

 

ରତି ରଚିଲେ ତା ବସନ ହରି

 

ନେତ୍ରକୁ ବୁଜି ଅତିସୁକୁମାରୀ

 

କରି ଆଲିଙ୍ଗନ

 

ମୋତେ କରିଥାଇ ପିନ୍ଧାବସନ

। ୬ ।

ମନରୁ ଦଣ୍ଡେ ନୁହଇ ମୁରୁଛି

 

ବଞ୍ଚାଇବା ଗୁଣ ବହୁତ ଅଛି

 

ପୁରକୁ ଯାଉଁ ଅଙ୍ଗେ ଅଙ୍ଗ ଠେସି

 

ଗେଲେ ଠାରଇ ଅଛନ୍ତିଟି ଦାସୀ

 

ଲୁଆଇଁ ଲପନ

 

ହସିବାର ତାର କେଡ଼େ ପ୍ରସନ୍ନ

। ୭ ।

ଜାଣଇଁ କେତେ ଘେନାଘେନି ସହି

 

ଶୟନକାଳରେ ସନ୍ନିଧ୍ୟେଁ ଥାଇ

 

ସ୍ନେହେ ଆଣି ପାଦ ଜାନୁଉପର

 

ପକାଉଁ ମୁଁ ତାର ଧରଇ କର

 

କୋଳକୁ ନିଅଇଁ

 

ଧନ୍ୟ ଚତୁରୀ ନାହିଁ କରୁଥାଇ

। ୮ ।

ବିଶେଷ ରତିରେ ଭାଷି ମଲିଟି

 

ଜାନୁରେ ଛନ୍ଦୁଥାଇ ମୋର କଟୀ

 

କେତେ ବିକାର ଜାତ କରି ମୁଖେ

 

ଏହା ଅରଜିଲି ମୁଁ ମୋହସୁଖେ

 

ଯେ ନ ସହେ ନଖ

 

ତାହା ଭାଗେ ହେଲା କାମବିଶିଖ

। ୯ ।

ମନୋହାରୀ – ସୁରପୁରେ ମୋହର

 

ଦିନେ ଅନାୟତ୍ତେ ପଡ଼ିଲା କର

 

ମଣିଲି କୋମଳେ ଲବଣୀ ପରି

 

ହେଲେ ତାମ୍ବୁଳପତ୍ର ହେବ ସରି

 

ଟାଙ୍କୁରିତ ଲୋମ

 

ହୋଇଥିବ ଯେ ନିପପୁଷ୍ପ ସମ

। ୧୦ ।

ବିଦ୍ୟୁ ଚାହିଁ ବୁଜୁଁ ନୟନ କରେ

 

ନଖ ଟିପ ଦେଲେ ଭୁଜମୂଳରେ

 

ଆହା ସୁନ୍ଦରୀ ଚମକିଲା ହୋଇଁ

 

ନୟନ ବକ୍ର କରିଣ ଅନାଇଁ

 

ତାହା ରଖି ମନେ

 

ସମୟରେ ଚାପେ ଗଣ୍ଡ ଦଶନେ

। ୧୧ ।

ସେ ନଖକ୍ଷତହିଁ ଲିଭି ନ ଥିବ

 

କେଡ଼େ ବେଗେ ଧାତା ଭାଙ୍ଗିଲା ଭାବ

 

ମୋତେ ଚିନ୍ତା କରି ନିଶ୍ୱାସ ତେଜି

 

ଏବେ ଥିବ ପରା ଅବନୀ ଭଜି

 

ଆହା ରସଲେଖା

 

ଏହା ଥିଲା ପୁଣି ଲଲାଟେ ଲେଖା

। ୧୨ ।

ଯେବେ ସେ ମାଳା କରଇ ସୁମନେ

 

ମୋତେ ଦେଇ ତହିଁ ଉତ୍ତାରେ ଘେନେ

 

ଏବେ ଫୁଟୁଥିବ ବାଡ଼ୀରେ ଫୁଲ

 

ହେବନି ମର୍ମକୁ ଝଲକ ଭାଲ

 

ହୃଦୟ – ସନ୍ତାପ

 

ଫେଡ଼ି ନ କହିବ ସଖୀସମୀପ

। ୧୩ ।

ଆସିବା ସମୟେ ମୋର ଏଣିକି

 

କୁଙ୍କୁମେ ବୁଡ଼ାଇ ପାଦପାଣିକି

 

ଝିନବସନେ ରଖିଅଛି ଚିହ୍ନ

 

ତାହା ଘେନି କେତେ ବଞ୍ଚିବ ଦିନ

 

ମୁଁ ମଲିତ ନାହିଁ

 

ଏମନ୍ତ ଭାବିବାକୁ କଲା ବିହି

। ୧୪ ।

ପ୍ରଭାତେ ଉଠି ମୋ ମୁଖକୁ ଚାହିଁ

 

ଝରୀରେ ଭରି ବାରି ତୋଳିଦେଇ

 

ସେକାଳେ କରି ମୁଁ ମୁଖ ଧଉତ

 

ଉରଜପର ବାସେ ପୋଛି ହସ୍ତ

 

ମାରନ୍ତେ ହାମ୍ପୋଳି

 

କି କରି ଅନାଏଁ ବଦନ ଢ଼ାଳି

। ୧୫ ।

ଥୋପି ପଡ଼ୁଥାଇ ରଙ୍ଗଅଧର

 

ପାନ ବୋଳରେ ପୁଣି କେଡ଼େ ତାର

 

କାହାକୁ କେ ରଙ୍ଗ କରିଛି ପୁଣି

 

ଏତେ କହି ତହିଁ ନୁହଇ ଜାଣି

 

ମୁଁ ଚିବୁକ ଧରି

 

ଚୁମ୍ବ ଦେଉଁ ଦିନେ ସରାଗ କରି

। ୧୬ ।

ଲପନ ଥୟ କରିଣ ନ ରଖି

 

ଡୋଳା ଖୋଷି ଭାଲେ କି କରେ ଆଖି

 

ସ୍ନେହେ କରୁଥାଇ ଅଧର ଗୋଜ

 

ଚୁମ୍ବନ ନ ଦିଏ, ବାରଇ ଲାଜ

 

ସେ ସବୁର୍ଣ୍ଣରେଖା

 

ଆଜହିଁ ସେହିରୂପେ ଦିଏ ଦେଖା

। ୧୭ ।

ଦିନେ ଦିନେ ତାକୁ କରି ବିନତି

 

ମାଗିଲେ ମୁହିଁ ବିପରୀତରତି

 

ବୋଲଇ କିସ ତା ଜାଣଇଁ ନାହିଁ

 

ତୁମ୍ଭ ଶରଧା ଥିଲେ ଦିଅ କହି

 

ସେ କହିବାଭଙ୍ଗୀ

 

ଆଜହିଁ ହୋଇଛି ହୃଦୟସଙ୍ଗୀ

। ୧୮ ।

ପ୍ରଭାତେ ଉଠି ମୁଁ ଧଇଲେ ଶାଢ଼ୀ

 

ଏସନ ବୋଲଇ ବଦନ ମୋଡ଼ି

 

ଆପଣା ସୁଖ ମୂଳ ଆପଣାର

 

ପରଦୁଃଖ ନିକି ଜାଣଇଁ ପର

 

ପୁଣି କରେ ବୋଧ

 

କେମନ୍ତ ଲଙ୍ଘିବା ବିଧିନିଷେଧ

। ୧୯ ।

ଶୋଇଥିଲା ଦିନେ ଅଚେତା ହୋଇ

 

ମୁଁ ଯାଇଁ ତାର ନୀବୀବନ୍ଧ ଫେଇ

 

ରହସବଶେ ଆରମ୍ଭନ୍ତେ ରତି

 

ଚେତି ଉଠି ବସି ମୁକୁତାଦନ୍ତୀ

 

ଏ କି ପରମାଦ

 

ଭାଷି, ପିକଭାଷୀ ଧଇଲା ପାଦ

। ୨୦ ।

ଦିନେ ଦିନେ କରି ଜୁଡ଼ାକୁ ଖୋପା

 

କରି ମୁଁ ଦିଅଇ ଚଉଁରୀଚମ୍ପା

 

କରେ ଘେନି ତାହା କରେ ଓଳଗ

 

ତାହାରିଠାରୁ ଜାତ ଅନୁରାଗ

 

ଆହା ରସନିଧି

 

ଜାଣୁ ଜାଣୁ ମୁହିଁ କଲି କି ବୁଦ୍ଧି

। ୨୧ ।

ଥିବାଯାକ ମୋର ଶରୀରେ ଜୀବ

 

ଗୁଣିଲେନିକି ତା ଭାବ ସରିବ

 

ମୋର ବାହାରେ ତାର ଗତି ନାହିଁ

 

ଚିନ୍ତୁଥିବ ମୋତେ ପରାଣସହୀ

 

କାମରସସାର

 

କହଇ ଉପଇନ୍ଦ୍ର ବୀରବର

। ୨୨ ।

 

ତୃତୀୟ ଛାନ୍ଦ

 

 

ରାଗ କେଦାରକାମୋଦୀ

 

ପୁଣି ବିଚାରେ, ଶୁଣି ଏ ଘଡ଼ଘଡ଼ି

 

ଚମକି ପଡ଼ୁଥିବ ଘଡ଼ିକି ଘଡ଼ି ସେ

 

ମହୀରେ ଶୋଇଥିବ ପଣନ୍ତ ପାଡ଼ି

 

ଶ୍ରୀଅଙ୍ଗଶୋଭା ତାର ଯିବନି ଛାଡ଼ି ଯେ

। ୧ ।

କି ବୟସରେ ତାକୁ ଅଇଲି ଛାଡ଼ି

 

ଶୋଭାକୁ ଚାହିଁ ନୋହେ ନେତ୍ର ପିଛାଡ଼ି ଯେ

 

ଆକାଶ ପଡ଼ୁ ନାହିଁ ମୋଶିରେ ମାଡ଼ି

 

କାହିଁକି ଗିରିପରେ ବଜ୍ର କଚାଡ଼ି ଯେ

। ୨ ।

ଡକା କରିବ ଭେକ ଡାହୁକ ରଡ଼ି

 

ଆଉ କି ଲାଗୁଥିବ ବନ୍ଧର ନାଡ଼ୀ ଯେ

 

ପାଦବାଜେଣୀବଳା ହେବନି ହୁଡ଼ି

 

ସରୁ ନ ଥିବ ନିକି ଉଶୀରବାଡ଼ୀ ଯେ

। ୩ ।

କାହାକୁ ହୃଦଦୁଃଖ କହିବ ଫେଡ଼ି

 

ପକାଉଥିବ ମୋହ ଯିବାକୁ ଖଡ଼ୀ ଯେ

 

କେବଳ ଟାଣ ଥିବ ଉରଜ ଯୋଡ଼ି

 

ଭାରା ହେବନି ତାକୁ ପିନ୍ଧିବା ଶାଢ଼ୀ ଯେ

। ୪ ।

ମୟୂରରାବ ଦେବ ଜ୍ଞାନ ଘଉଡ଼ି

 

ନପୁଣ ଝଞ୍ଜାବାତେ ଯିବ ସେ ଉଡ଼ି ଯେ

 

ଦେଖିବି ଜୀବେ ଥାଉଁ ଏଥୁଁ ବାହୁଡ଼ି

 

ବିଦେଶେ ଆଗମନ କଲିତ ହୁଡ଼ି ଯେ

। ୫ ।

ମଦନ ଦେଉଥିବ ନିରତେ ଧାଡ଼ୀ

 

ବିରହ ପ୍ରେତ ବସିଥିବତ ମାଡ଼ି ଯେ

 

ବାଣୀକଥନେ ତୁଣ୍ଡ ବାହିବ ଜାଡ଼ୀ

 

ପ୍ରାଣଧନକୁ ଗଲା କି ଦଶା ପଡ଼ି ଯେ

। ୬ ।

ପିନ୍ଧି ଯେ ଥାଇ ପୀତାମ୍ବର ସଜାଡ଼ି

 

ଝାଳରେ ଗଲାବେଳେ ତନୁରେ ଜଡ଼ି ଯେ

 

କେ ତନୁକେ ବସନ କରରେ ଲୋଡ଼ି

 

ନୋହିଲେ ଜାଣି ହୁଏ ଥିବାରୁ ଧଡ଼ୀ ଯେ

। ୭ ।

ଏକା ଜାଣଇଁ ସେହି ନୀବୀ ନିବାଡ଼ି

 

କି କରି ଚାହୁଁ ଥାଇ ବଦନ ମୋଡ଼ି ଯେ

 

କେଳିକାଳରେ କରୁ ବାସ ମୁରୁଡ଼ି

 

ସେହି ଶୋଭାକୁ ଚାହିଁ ଚେତନା ବୁଡ଼ି ଯେ

। ୮ ।

ତନୁରେ ବସେ ଶେଯ ପୁଷ୍ପପାଖୁଡ଼ୀ

 

ସେହି ଭୟରୁ ମୁଁ ଯେ ଗାଢ଼େ ନ ଭିଡ଼ି ଯେ

 

ଛଇଳାମଣି ମୋର ପାଶେ ପହୁଡ଼ି

 

ଅଶେଷ ରସ ଭାବବଶେ ନିଉଡ଼ି ଯେ

। ୯ ।

କି କରି ଭିଡ଼ିଥାଇ ଶ୍ରୀକରଚୂଡ଼ୀ

 

କେବେହେଁ ଦେହ ତହିଁ ନୁହଇ ପୀଡ଼ି ଯେ

 

ହସ୍ତରୁ ଅଇଲିତ ଅମୃତ ଏଡ଼ି

 

ତା ଭାବୁଁ କାମାନଳେ ହୃଦୟ ପୋଡ଼ି ଯେ

। ୧୦ ।

ଲୋଡ଼ିବ ନାହିଁ ଦିନେ ଚିତ୍ରକ ପେଡ଼ୀ

 

କଟିରେ ନ ଖଞ୍ଜିବ ସ୍ୱର୍ଣ୍ଣଘାଗୁଡ଼ି ଯେ

 

ନାହିଁ ନ ଥିବ ତାର ସୁଗନ୍ଧଘଡ଼ି

 

ଯାମଯାମକେ ଯାଉଥିବ ସେ ସଡ଼ି ଯେ

। ୧୧ ।

ଧୈର୍ଯ୍ୟ ପାଦପ ତାପନଦୀ ଉପାଡ଼ି

 

କାନ୍ତିକି ଥିବ ଅଯତନେ ଉହାଡ଼ି ଯେ

 

କେଳିସରରେ ମତ୍ତ ମରାଳ କ୍ରୀଡ଼ି

 

ଲୁହ ତେଜିବ କର ହୃଦରେ ତାଡ଼ି ଯେ

। ୧୨ ।

ନିରତେ ମାର ମୋର ହୃଦୟ ଯୋଡ଼ି

 

ଚିନ୍ତା ପକାଏ ନିଶୀ ଦିବସ ଝାଡ଼ି ଯେ

 

ମୁହିଁ ଯେ ଅନ୍ଧ ବାନ୍ଧବୀ ମୋ ଲଉଡ଼ି

 

ହାସରେ ସୁଧା ପଡ଼ୁ ଥାଇ ତା ଝଡ଼ି ଯେ

। ୧୩ ।

କାମଅନ୍ଧାରକୁ ତା ହାସ ଦିହୁଡ଼ୀ

 

ତାହା ଇଚ୍ଛାରେ ରସେ ଅଛି ନିବୀଡ଼ି ଯେ

 

କି କରି ଫୁଲାଇ ସେ ନାସିକାପୁଡ଼ୀ

 

ସେ ଶୋଭା କରିଛି ମୋ ନୟନ ପେଡ଼ୀ ଯେ

। ୧୪ ।

ଶୀତରେ ହୋଏଁ ତାହା ପଣନ୍ତ ଘୋଡ଼ି

 

ଭାବରେ ଦିଏ ଉର ଉରକୁ ଯୋଡ଼ି ଯେ

 

ଉଷୁମ ହୋଇ ତନୁ ନ ଯାଇ ଜାଡ଼ି

 

ଏବେ ତା ଚିନ୍ତି ହୃଦ ହୁଏ ବିଦାଡ଼ି ଯେ

। ୧୫ ।

ଅକାଟ ସେ ମୋ ଫୁଲଶର ଉପୁଡ଼ି

 

ତା ବିନା କାମ ଏବେ ବସିଛି ଅଡ଼ି ଯେ

 

ଲବେହେଁ ନ ଥିଲା ମୋ ତା ଛଡ଼ା ଛଡ଼ି

 

ଦଇବ କାଟିଦେଲା ପ୍ରୀତିଦଉଡ଼ୀ ଯେ

। ୧୬ ।

ଭାଙ୍ଗି ବଢ଼ାଇଦେବା ତାମ୍ବୁଳବିଡ଼ୀ

 

ଭାଞ୍ଜି ନେଉଛି ଦେହୁଁ ଚିତ୍ତ ଉଚ୍ଛୁଡ଼ି ଯେ

 

ଦେଖିଣ ତା ଶ୍ରୀହସ୍ତ ଅକ୍ଷରଧାଡ଼ୀ

 

ପଠନେ ମନୋଦୁଃଖ ଜୀବ ଉପୁଡ଼ି ଯେ

। ୧୭ ।

ପଦ ପଦକେ ଯେହୁ ସୁଧା ସିଞ୍ଚାଡ଼ି

 

ମୃତ୍ୟୁମୁଖେ ମୁଁ ତାକୁ ଅଇଲି ଛାଡ଼ି ଯେ

 

ମୋ ପାଶେ ଥିଲାଦିନେ ଚାହିଁ ଏ ଝଡ଼ି

 

ସୁଖୀ ହୁଅଇ, ଏବେ ଯିବ ସାଙ୍କୁଡ଼ି ଯେ

। ୧୮ ।

ମୋ ସଙ୍ଗେ ଯେବେ ଚନ୍ଦ୍ରକରେ ପହୁଡ଼ି

 

ଲୁଚାଇ ଘନସାରଚୂର୍ଣ୍ଣ ସଜାଡ଼ି ଯେ

 

ତା ଅଙ୍ଗଶୋଭା ଚାହୁଁ ବସନ ଫେଡ଼ି

 

ନେତ୍ର କମ୍ପାଇ କରେ ଦିଏ ଫୋପାଡ଼ି ଯେ

। ୧୯ ।

ସ୍ୱେଦେ ହେବନି ପିନ୍ଧାବାସ ଚିପୁଡ଼ି

 

ସୁଖଚନ୍ଦ୍ରକୁ ଶୋକ ଘନ ଘଉଡ଼ି ଯେ

 

ଇକ୍ଷୁପ୍ରାୟ କ୍ଲେଶରେ ହେବନି ପେଡ଼ି

 

ବୀରବର ରଚନା ଏ ପଦକୋଡ଼ି ଯେ

। ୨୦ ।

 

 

ଚତୁର୍ଥ ଛାନ୍ଦ

 

 

ରାଗ କେଦାର; ଚକ୍ରକେଳିବାଣୀ

 

ପୁଣି ଭାବ ଭାବନା କରି ଚିତ୍ତ

 

ଦଣ୍ଡେଯାଏ ପୁରୁଷ ମୂରୁଛିତ

 

ବୋଲେ କି କରି ପାରିବି ମୂରୁଛି

 

ଯେଣେ ଅନାଇଲେ ତେଣେ ଦିଶୁଛି

। ୧ ।

ମୋହ ସନ୍ନିଧ୍ୟେ ଥିଲା ଦିନେ ଏକ

 

ଏବେ କେହି ବାଳା ହେଲା ଅନେକ ?

 

କାହାଠାରୁ ଏ ଦୀକ୍ଷା କଲା ଶିକ୍ଷା

 

ଆଉ ପାଇବି ନାହିଁ ପ୍ରାଣେ ରକ୍ଷା

। ୨ ।

ବିଧୂପରକାଶ ହାସ ତାହାର

 

ଦାସ କରୁଥାଇ କୋଟି ପ୍ରକାର

 

ଏବେ ଚେତାଇ ସେ ହାସଝଟକ

 

ଜୀବ ନେବ ପରା ଯମକଟକ

। ୩ ।

ଅତି ପ୍ରମାଦ କପୋତ କରଇ

 

ରତିକାଳଧ୍ୱନି ଦିଏ ଚେତାଇ

 

ପୁଣି ଡାକ ଦେବାବେଳେ ମୟୁର

 

ତାହା ଚିନ୍ତି ବିଦାରି ହୁଏ ଉର

। ୪ ।

ନିଶୀ ଅବସାନ ଶୋଭା ତାହାର

 

ମନ ନୟନେ କଲା ପରା ଘର

 

ଟେକି କରି ଭାଙ୍ଗିବାରେ ଅଳସ

 

ଟେକି ହୋଇଥାଇ କୁଚକଳଶ

। ୫ ।

କଷା ନେତ୍ରଯୁଗରେ ଥାଇ ପୂରି

 

କାମମାଦକ ଲାଗିଲାର ପରି

 

ଠାବେ ଠାବେ ଲାଗିଥାଇ ଚନ୍ଦନ

 

ଖ ଖୋସୁଥାଏ ନୀବୀବନ୍ଧନ

। ୭ ।

ଇସି; ଇସି ପ୍ରକାଶି ମୋଡ଼ି ଅଙ୍ଗ

 

ଭାଲେ ଖୋସୁଥାଇ ନେତ୍ର ତରଙ୍ଗ

 

ନଖକ୍ଷତ ଯେ ବସିଥାଇ ସ୍ତନେ

 

ବାସେ ଘୋଡ଼ାଇଣ ତାହା ଯତନେ

। ୭ ।

କରମଣି – ଚୂଡ଼ିରେ ପୁଣି ଚାହିଁ

 

ଗଣ୍ଡ ଦନ୍ତଘାତ ଲୋଡ଼େ ଲୁଚାଇଁ

 

ବେଗେ କରରେ ଘେନି ସେ ମକରୀ

 

ଓଷ୍ଠ କରେ ଦଶନେ ଥାଇ ଧରି

। ୮ ।

ମୋହ ଆଗରେ ଉଭା ହେଲାବେଳେ

 

ମୁଖ ଲୁଆଇଁଥାଇ ସବୁକାଳେ

 

ଯାଦ ବୃଦ୍ଧାଙ୍ଗୁଳି ଘସି ଅବନୀ

 

ଚିବୁକରେ ଦେଇଥାଇ ତର୍ଜନୀ

। ୯ ।

ନାସା ଅଳପ ଅଳପ ଫୁଲାଇଁ

 

ପଦେ ପଦେ କହୁଥାଇ ଗେହ୍ଲାଇ

 

ମୋର ନ ଚାହିଁଲାବେଳେ ଅନାଇ

 

ଚାହିଁଦେଲେ ମହୀଦୃଷ୍ଟି କରଇ

। ୧୦ ।

ଯେବେ ହାସ ପ୍ରକାଶ ରହସରେ

 

ଶେଷ କରେ ରସବତୀ ଅଧରେ

 

ମୋତେ ଚାହିଁବାକୁ ବଡ଼ ଶରଧା

 

ଲାଜ କୃପଣ କରୁଥାଇ ବାଧା

। ୧୧ ।

ଏବେ ଚାହିଁବ ସ୍ୱରୂପପଟକୁ

 

କଷ୍ଟେ କଷ୍ଟେ ରଖିଥିବ ଘଟକୁ

 

ନାମ ଜପ କରୁଥିବ ମୋହର

 

କେତେ ଶାନ୍ତି କରୁଥିବ କାତର

। ୧୨ ।

ଶାନ୍ତି ଅନଳ କି ତେବେ ଭଜଇ

 

ଘୃତ ପାଇଲେ ଅଧିକେ ଜଳଇ

 

କି ଅଧିକ ଅଗ୍ନି କାମ – ଅଗ୍ନିରୁ

 

ତାହା ପୁଂସ ନ ଜାଣେ ଜାଣେ ଭୀରୁ

। ୧୩ ।

କାନ୍ତହତେଟି କାମାନଳେ ଡରି

 

ସତ ଅନଳେ ଝାସନ୍ତି ସୁନ୍ଦରୀ

 

ଏବେ ସନ୍ତାପ କାମ ଅନଳର

 

ଧନ ବିନୁ ଅନୁଭବ ମୋହର

। ୧୪ ।

ଦିନେ ନାଗରୀ ଆସୁଁ ସାରି ସ୍ନାନ

 

ଅଙ୍ଗେ ଯଡ଼ିଯାଇଥିଲା ବସନ

 

ଦେଖି ମନେ କଲି ଆଜ କି ଲଗ୍ନ

 

ଅନାୟାସରେ ଦେଖିଲି ଉଲ୍ଲଗ୍ନ

। ୧୫ ।

ମୋହଠାରେ ତାର ଦୃଷ୍ଟି ପଡ଼ିଲା

 

ଲାଜଭୟେ ଓଷ୍ଟେ ଦନ୍ତ ଭିଡ଼ିଲା

 

ମୁଁ ଯେ ଶୁଭାଇ ବୋଇଲି ଅଙ୍ଗନା

 

ମଦନକୁ କିବା ମୋତେ ତର୍ଜନା

। ୧୬ ।

ନାହିଁ କାହାକୁ ବୋଲି ପଳାଇଣ

 

ପୁରେ ପଶିଲା ହସିଲା ହୋଇଣ

 

ଆଉ ଯାଇଁ କି ସେ ଶୋଭା ଦେଖିବି

 

ମୋର ଚିରବିରହ ଉପେଖିବି

। ୧୭ ।

ଦିନେ ଉତ୍ତାମଶାୟୀ ହୋଇ ଗୋରୀ

 

ଚନ୍ଦ୍ରକରେ ଥିଲା ନିଦ୍ରା ଆଚରି

 

ମୋହଭାଗ୍ୟ ପ୍ରବେଶ କଲା ନେଇଁ

 

ଠିଆ ହୋଇ ଦେଖିଲି ଦଣ୍ଡଦୁଇ

। ୧୮ ।

ଛନ୍ଦି କର – ଯୁଗଳ ଜୀବଧନ

 

କରିଥିଲା କରକୁ ସୀମସ୍ଥାନ

 

ଲୋମହୀନ ମାଂସଳ କକ୍ଷଦୁଇ

 

ସ୍ୱର୍ଣ୍ଣପାତ୍ର କି ଥୁଆ ଉଲଟାଇ

। ୧୯ ।

କର୍ଣ୍ଣରତନ ଦର୍ଶନେ ପ୍ରକାଶି

 

ଜ୍ୟୋତିନିନ୍ଦିତ ହୋଇଥିଲା ଶଶୀ

 

ଡରି ଉଦେ କରିବାକୁ ବଦନ

 

ପାଶେ ଶରଣ ହେଲା କି ଏମାନ

। ୨୦ ।

ନୀଳଉତ୍ପଳ ମୁଦ୍ରିତ ଯେସନ

 

ଶୋଭାନିନ୍ଦିତ ଲୋଚନ ତେସନ

 

ହେମଭୂମି ଫୁଟି ଶମ୍ଭୁ ବାହାର

 

ପରା ତାର ଉତ୍ତୁଙ୍ଗ ପୟୋଧର

। ୨୧ ।

ଉରପରେ ନ ଥିଲା ବାସଫେର

 

କାମ ହେମକ୍ରୋଣାସ୍ତମ୍ଭପ୍ରକାର

 

ଶୋଭା ବସନ କାମସଦନର

 

ମାରି ତ୍ରିକୋଣିଆ ଛତ୍ରରୁଚିର

। ୨୨ ।

ହର ଜିଣି ଚାରି କୋଣ ଛତିକି

 

ଧରାଇବ ମଣିଲି ମୁଁ ମତିକି

 

ଏଣୁ ସ୍ଥିର ନୋହିଲା ମୋର ମନ

 

କରେ ଧଇଲି ପନ ପୀନସ୍ତନ

। ୨୩ ।

ହେଲା, ଝୁଲାଇ ଦେଲା ପ୍ରାୟ ତହିଁ

 

ହସ୍ତ କାତରେ ଥିଲା କମ୍ପ ବହି

 

ଚେତିକରି ମୋ କରକୁ ଧଇଲା

 

ଏବେ ଚୋର ଧରା ଗଲା ବୋଇଲା

। ୨୪ ।

ସେହି ବଚନ ସେହି ଶୋଭା ତାର

 

ମନ ନୟନୁ ନୁହଇ ଅନ୍ତର

 

ଆଉ ନୃପସମ୍ପଦେ କାର୍ଯ୍ୟ ନାହିଁ

 

ପ୍ରିୟାପାଇଁ ମୁଁ ଯିବି ଯୋଗୀ ହୋଇ

। ୨୫ ।

ଛାଇ ପ୍ରାୟ ସେ ନ ଛାଡ଼େ ପାଶକୁ

 

ମନ ଜାଣି ଦେଉଥାଇ ରସକୁ

 

ଏଡ଼େ କରି ଘେନିଛି ସେ ଦାସକୁ

 

ତାକୁ ଦେଲି ଏବେ କାମତ୍ରାସକୁ

। ୨୬ ।

ଏହିରୂପେ ଭାବ ଭାବି ମନରେ

 

ବଶ ହୋଇଲା ସେ ପ୍ରାଣଧନରେ

 

ଛାର କରି କାରଯ ହେତୁଯାକ

 

ଛାଡ଼ି ପ୍ରବାସ ଚଳିଲା ନାୟକ

। ୨୭ ।

ପୁରେ ପ୍ରବେଶ ହୋଇଲା ବିଦେଶୀ

 

କୋଳେ ଧରି ପ୍ରିୟାକୁ ଚାଟୁ ଭାଷି

 

ଆରଛାନ୍ଦେ ସେ ହୋଇବ ବିଦିତ

 

ଉପଇନ୍ଦ୍ରବୀରବର ରଚିତ

। ୨୮ ।

 

ପଞ୍ଚମ ଛାନ୍ଦ

 

ରାଗ ବଙ୍ଗଳା ଶ୍ରୀ

ଚନ୍ଦ୍ରବଦନା ମୋହଲାଗି ବେଦନା ଆହା ତୁ ପାଇଲୁ କେତେ

 

ଏ ଘୋର ବରଷା ଦେଖି ମଦାଳସା ଲୋଡ଼ୁଥାଉ ପରା ମୋତେ

। ୧ ।

ନିଦ ନ ମାଡ଼ଇ ପରେ ରେ ସଜନି ଅନ୍ଧାରରଜନୀ ଦେଖି

 

ମୋହଭାଗ୍ୟ ଏତେ ଜୀବଜୀବନକୁ ଜଗନ୍ନାଥ ଥିଲେ ରଖି

। ୨ ।

କି ଦିଶୁଛି ମୁଖ ମାର୍ଜନାବିହୀନେ ମୁକୁର ପରାୟେ ସହି

 

ବିଦେଶକୁ ଯାଇଁ ଲାଭ କରି ଏତେ ଅରଜିଲି ସିନା ମୁହିଁ

। ୩ ।

ମୋର ଗଲାଦିନୁ ହୋଇନାହିଁ ପରା ଦିନେହେଁ କବରୀବନ୍ଧା

 

କେଡ଼େ ଦୁର୍ବଳ ହୋଇଛୁ କାମ ମୋର ବୁଡ଼ାଇଥିଲାତ ଫନ୍ଦା

। ୪ ।

ଜୀବ ଯିବ ବୋଲି ମୂଳ କରିଥିଲା ଏ ବୋଧେ ରଖିଲି ତାକୁ

 

ତୁ ଗଲେ ମୁଁ କାହିଁ ଦେଖି ପାରିବଟି ଆଉୁ କେଳି ପଣ୍ଡିତାକୁ

। ୫ ।

ଏହିକାଳେ ଆସି ଏକ ଦାସୀ ଭାଷେ ରସି କରତନ ଆଗେ

 

ଏହା ପରା କରି ରସିକା ନାଗରୀ ଦେଖି ନାହିଁ ଅନୁରାଗେ

। ୬ ।

ତୁମ୍ଭେ କଲାଦିନୁ ବିଦେଶଗମନ ଥାଉ ହୋଇବାର ବେଶ

 

ହରିଦ୍ରା ଶରୀରଦିନେ ଘେନି ନାହିଁ ଫେଡ଼ି ବାନ୍ଧି ନାହିଁ କେଶ

। ୭ ।

ପ୍ରଭାତୁଁ ରଜନୀ ସାତଘଡ଼ିଯାଏ ଯେଉଁଠାରେ ଥାଏ ବସି

 

ଯେତେବେଳେ ତୁମ୍ଭ ଯେଉଁ ଅବକାଶ ତାହା ହେଉଥାଇଁ ଘୋଷି

। ୮ ।

ବିରହେ ଯେତେ ସନ୍ତାପ ଲଭୁଥିଲା ଶରଦଚନ୍ଦ୍ରମାମୁଖୀ

 

ଆମ୍ଭେ କି କହିବୁଁ ତୁମ୍ଭେତ ରସିକ ଜାଣ ସିନା ଦେହ ଦେଖି

। ୯ ।

ତୁମ୍ଭ ସଙ୍ଖୋଳାଚିଟାଉରୁ ଆଶାକୁ ଆସିବେ ବୋଲି ବଢ଼ାଇ

 

କଷ୍ଟେ କଷ୍ଟେ ପ୍ରାଣ ଆଜପରିଯନ୍ତେ ରଖିଲା ଶିରୀଷଦେହି

। ୧୦ ।

ଏ ବଚନ ଶୁଣି ନେତ୍ର ଥନ ଥନ କଲା ପ୍ରାୟ କାନ୍ତ ହେଲା

 

ସାରିଣ ନୀତିକି ଘେନି ସୁମତିକି ପଲ୍ୟଙ୍କରେ ପହୁଡ଼ିଲା

। ୧୧ ।

ପ୍ରଥମେ ଚିବୁକ ଧରି ସେ ରସିକ ଚୁମ୍ବିଲା ବଦନବିଧୁ

 

ପୁଣି ଆଲିଙ୍ଗନ କରି ଘନ ଘନ ପିଇଲା ଅଧରୁ ମଧୁ

। ୧୨ ।

ଚନ୍ଦ୍ରଖଣ୍ଡଗଣ୍ଡେ ଦନ୍ତଘାତ କରି ଜାନୁରେ ଚଳାଇ ନଖ

 

ଉରଜଅଗ୍ରରେ ରସା ବୁଲାଇ ଜାତ କଲା ମହାସୁଖ

। ୧୩ ।

କ୍ରମେ କ୍ରମେ ପୁଣି ବସନ ଫିଟାଇ ଆରମ୍ଭ କଲା ସୁରତି

 

ରତିପତିଦୁଃଖ ବେଗେ ପାସୋରିଲା ଲଭିଲା ଇନ୍ଦ୍ରସମ୍ପତ୍ତି

। ୧୪ ।

ସାରି ସୁରତି ବେନି ବାସ ପିନ୍ଧିଲେ ଅପସରିଲା ମଦନ

 

ଫିଟିଲା କବରୀ ବାନ୍ଧି ଦେଇ କାନ୍ତ ହରିଲା ବାନ୍ଧବୀମନ

। ୧୫ ।

ରତିଶ୍ରମବାରି ପତିଅଙ୍ଗୁନାରୀ ପୋଛି ଦେଇ ଚଞ୍ଚଳରେ

 

ପୁଣି ସ୍ୱେଦକଣାମାନ ବିନାଶନେ ବିଞ୍ଚିଦେଲା ଅଞ୍ଚଳରେ

। ୧୬ ।

ହିମ, ଶିଶିର ଯେ ବସନ୍ତ, ଗ୍ରୀଷମ, ବରଷା, ଶରଦ ପୁଣି

 

ନାନା ବିନୋଦରେ ମନ୍ଦିରଭିତରେ ବଞ୍ଚେ ରସିକ ରମଣୀ

। ୧୭ ।

ପାଞ୍ଚଛାନ୍ଦେ ଶେଷ ହୋଇଲା ଏ ରସ କରିବ ରସିକ ବଶ

 

ହେ ଜନେ ପ୍ରେମସୁଧାନିଧି ରସିକହାରାବଳୀର ଏ ଶେଷ

। ୧ ୮।

ସୁବର୍ଣ୍ଣରେଖାର ବର୍ଣ୍ଣନା ଯେତେକ ରସେ ଏହୁ ତିନିଗୀତ

 

କହେ ଉପଇନ୍ଦ୍ରଭଞ୍ଜ ବୀରବର ଅନୁଭବୁଁ ଏ ବିଦିତ

। ୧୯ ।

 

ସମାପ୍ତ